ଚୁଟକିରେ ଖବର :
ସମସ୍ତ ମଣିଷଙ୍କର ସେଇ ଦୁଇ ହାତ ଦୁଇ ଗୋଡ଼ ଗୋଟିଏ ମୁଣ୍ଡ ଥାଏ । କିନ୍ତୁ ମଣିଷ ନିଜ ଉତ୍ତମ କର୍ମ ଦ୍ଵାରା ହିଁ ସମାଜରେ ଚିହ୍ନା ଯାଇଥାଏ । ଏପରି ଜଣେ ବିରଳ ବ୍ୟକ୍ତିତ୍ଵ ହେଲେ ବଲାଙ୍ଗିର ଜିଲ୍ଲାର ଯୋଗିସର୍ଡା ଗ୍ରାମର ଶ୍ରୀକାନ୍ତ ତ୍ରିପାଠୀ । ସେ ଏକାଧାରରେ ଜଣେ ମଞ୍ଚ କଳାକାର,ସମାଜସେବୀ,ଶିକ୍ଷକ,ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ । ଗୌରଚନ୍ଦ୍ର ତ୍ରିପାଠୀଙ୍କ କୋଳ ମଣ୍ଡନ କରିଥିବା ଶ୍ରୀକାନ୍ତ ତ୍ରିପାଠୀ ପିଲାଟି ଦିନରୁ ମେଧାବୀ ଏବଂ କଳାପ୍ରେମୀ ଥିଲେ । ତାଙ୍କ ଆଦର୍ଶ ହେଲେ ତାଙ୍କ କାକା ଅଶୋକ କୁମାର ତ୍ରିପାଠୀ । ଯୋଗୀସର୍ଡା ତ୍ରିପାଠୀ ପରିବାରରୁ ଅନେକ IAS ଏବଂ OAS ବାହାରିଲେଣି । ଶ୍ରୀକାନ୍ତ ଛୋଟବେଳୁ କୌଣସି ଦୁଃଖୀ ଦାରିଦ୍ରଙ୍କ ଦୁଃଖ ଦେଖିଲେ ସହି ପାରୁ ନ ଥିଲେ । ଶ୍ରୀ ତ୍ରିପାଠୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା ବି.ଏସ.ସି. ଡିପ୍ଲୋମା ଇନ୍ ସିଭିଲ୍ । ସେ ଏବେ ବଲାଙ୍ଗିର ସ୍ଥିତ ମେଡିକାଲ କଲେଜରେ ଆନାଟୋମି ବିଭାଗରେ ଲେବ୍ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟରତ । ଝାରସୁଗୁଡ଼ା ସ୍ଥିତ ଷ୍ଟିଲ ପ୍ଲାଣ୍ଟ ଏବଂ କେରଳ ସ୍ଥିତ ନୁକ୍ଲିଅର୍ ପାୱାର୍ ପ୍ଲାଣ୍ଟରେ ମଧ୍ୟ କାର୍ଯ୍ୟ ଦକ୍ଷତାର ଅଭିଜ୍ଞତା ଅଛି । ତେବେ ଶ୍ରୀ ତ୍ରିପାଠୀ ଦୀର୍ଘ ଚାରି ବର୍ଷ କାଳ ଯୋଗିସର୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ କରିଥିଲେ । ତାଙ୍କ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୫୦ ରୁ ଉର୍ଦ୍ଧ୍ବ ପିଲା ସରକାରୀ ବୃତ୍ତି,ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ସେ ଦୀର୍ଘ ୯ ବର୍ଷ ହେଲା ଯୋଗିସର୍ଡ଼ା ଦଧିବାମନ ରାମଲୀଳାରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରି ଆସୁଛନ୍ତି । ଗାଁ ବାହାରେ ମଧ୍ୟ ୩୫ ରୁ ଉର୍ଦ୍ଧ୍ବ ମଞ୍ଚରେ ନିଜ କଳା ପରିବେଷଣ କରି ନିଜ ଗ୍ରାମ ତଥା ଅଞ୍ଚଳର ଗୌରବ ସାଜିଛନ୍ତି । ସେ ବିଭିନ୍ନ କମିଟି ଯଥା RSS,ABVP,NYK ଆଦିର ସକ୍ରିୟ ସଦସ୍ୟ ଭାବରେ ରହି ସମାଜ ସେବା କରି ଆସୁଛନ୍ତି । ଶ୍ରୀ ତ୍ରିପାଠୀ ନିଜ ଛାତ୍ର ଜୀବନରେ ମଧ୍ୟ ବହୁ ଥର ଜି.କେ.,ରଚନା,ଡିବେଟ ପ୍ରତିଯୋଗିତାରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଏଭଳି ଏକ ଅଦ୍ୱିତୀୟ ବ୍ୟକ୍ତିତ୍ବ ସତରେ ଆଜିର ଦୁନିଆରେ ବେଶ୍ ନିଆରା । ଆଜିର ଯୁବ ସମାଜ ପଥାଭ୍ରଷ୍ଟ ହୋଇ ଯାଉଥିବା ବେଳେ ଶ୍ରୀ ତ୍ରିପାଠୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ।