Monday, 31 July 2023

କୁନି ଚିତ୍ରଶିଳ୍ପୀ ବର୍ଷା

ଚୁଟକିରେ ଖବର :



 ନାଁ ଟି ବର୍ଷାରାଣୀ ବରିହା । ବୟସ ମାତ୍ର ୧୨ ବର୍ଷ । କିନ୍ତୁ କୁନି ହାତରେ ଲେଖନୀ ମୁନରେ ଆଙ୍କୁଛନ୍ତି ଜୀବନ୍ତ ଚିତ୍ର । ବର୍ଷାଙ୍କ ବାପା ଚିତ୍ରୁ ବରିହା ଏବଂ ମାଆ ସାବିତ୍ରୀ ବରିହା ତାଙ୍କୁ ଖୁବ୍ ଉତ୍ସାହିତ କରନ୍ତି ଚିତ୍ର ଆଙ୍କିବା ପାଇଁ । ବର୍ଷାଙ୍କ ଜନ୍ମ ହୁଏ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅନ୍ତର୍ଗତ କୁମ୍ଭାରଖୁନ ଗାଁରେ । ସେ ଏବେ ତୀର୍ଥରାଜ ହରିଶଙ୍କର ନିକଟବର୍ତ୍ତୀ କପସିପାଲି ସରକାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ। ସେ ବହୁଥର ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଛନ୍ତି ବୋଲି ତାଙ୍କ ବିଦ୍ୟାଳୟର ଶିକ୍ଷକ ଶ୍ରୀମାନ ଆଲୋକ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ବର୍ଷା ଆଙ୍କିଥିବା କେତେକ ଚିତ୍ର ପାଠକ ବନ୍ଧୁଙ୍କ ପାଇଁ :












Sunday, 30 July 2023

କଳାକାର ଭାଇ "ଶିବା-ଦେବା"

 *ଚୁଟକିରେ ଖବର :

ଏମିତି କିଛି ମଣିଷ ଥାଆନ୍ତି,ଯେଉଁମାନେ କି ଅନେକ ଝଡ଼ଝଂଜା ମଧ୍ୟରେ ଗତିକରି ବି ନିଜ ଅସୀମ ଧୈର୍ଯ୍ୟ ଓ ଅଧ୍ୟବସାୟ ଦ୍ଵାରା ସମାଜରେ ସୁପ୍ରତିଷ୍ଠିତ ହୋଇ ପାରନ୍ତି ।ଏମିତି ଦୁଇ ଭାଇ ହେଉଛନ୍ତି ସୁଦୂର ବଲାଙ୍ଗିର ଅନ୍ତର୍ଗତ ବଙ୍ଗୋମୁଣ୍ଡା ମାଟିର ସୁଯୋଗ୍ୟ ସନ୍ତାନ ଶିବ ପ୍ରସାଦ ଦାଶ ଓ ଦେବା ପ୍ରସାଦ ଦାଶ । ସଙ୍ଗୀତ କଳାରେ ଧୁରନ୍ଧର ଦୁଇଭାଇ ଖୁବ୍ କମ୍ ବୟସରୁ ଗାଇବା ଶିଖି ଏବେ ସାରା ଓଡ଼ିଶାରେ ପରିଚିତ ହେଲେଣି । ପିତା ସ୍ଵର୍ଗତଃ ପ୍ରମୋଦ କୁମାର ଦାଶ ଏବଂ ମାତା ଶ୍ରୀମତୀ ଜ୍ୟୋସ୍ନାମୟୀ ଦାଶ । 


ନିକଟରେ "ଭଏସ ଅଫ୍ ଆଲୋକ" ପ୍ରାୟୋଜିତ "ପ୍ରତିଭାର ଖୋଜ" କାର୍ଯ୍ୟକ୍ରମରେ ଉଭୟ ଭାଇ ଯୋଗ ଦେଇ ନିଜର ଅନୁଭୂତି ବଖାଣିଥିଲେ ।ଶିବ ପ୍ରସାଦଙ୍କ ସାକ୍ଷାତକାର ନେଇଥିଲେ ଶ୍ରୀ ଆଲୋକ କୁମାର ପଣ୍ଡା (ସମ୍ପାଦକ,VOA) ଏବଂ ଦେବା ପ୍ରସାଦଙ୍କ ସାକ୍ଷାତକାର ନେଇଥିଲେ ଶ୍ରୀ ତ୍ରିଲୋଚନ ସାହୁ (ସଭାପତି,VOA) । ପରିବାରର ସମସ୍ତ ସଦସ୍ୟ ସଙ୍ଗୀତ କ୍ଷେତ୍ରରେ ଥିବାରୁ ଶିବା ଆଉ ଦେବା ପିଲାଟି ଦିନରୁ ହିଁ ଗୀତ ଗାଇବା ଆରମ୍ଭ କରିଦେଇଥିଲେ । ବଡ଼ ଭଉଣୀ ଚୁମକି ଦାଶ ମିଶ୍ର ମଧ୍ୟ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟା କବୟିତ୍ରୀ ଅଟନ୍ତି । ପିତା ମଧ୍ୟ ନିଜେ ଗୀତ ଗାଇବା ସହ ସଂଗୀତ ଶିକ୍ଷା ଦେଇଥିବାରୁ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୁଇ ଭାଇ ସଙ୍ଗୀତ କ୍ଷେତ୍ରରେ ପାଦ ଥାପିଛନ୍ତି । ଓଡ଼ିଶାର ସଙ୍ଗୀତକୁ କିପରି ସାରା ଭାରତରେ ଏକ ସ୍ବତନ୍ତ୍ର ସ୍ଥାନ ମିଳିପାରିବ , ତାହା ହିଁ ଦୁଇ ଭାଇଙ୍କ ସ୍ବପ୍ନ ବୋଲି ସାକ୍ଷାତକାରରେ ପ୍ରକାଶ କରିଥିଲେ । ଆଜିର ସମାଜରେ ଯୁବ ସମାଜ ପଥଚ୍ୟୁତ ହୋଇଯାଉଥିବାର ଅନେକ ନିଦର୍ଶନ ଦେଖାଯାଉଥିବା ବେଳେ ଦାଶ ପରିବାରର ଏହି ଦୁଇ ଭାଇ ସମଗ୍ର ଯୁବ ସମାଜ ପାଇଁ ଏବେ ଏକ ଉଦାହରଣ ସାଜିଛନ୍ତି ।

Sunday, 23 July 2023

ଗୃହିଣୀମାନଙ୍କ ପାଇଁ ଆଦର୍ଶ - ମୋନାଲିସା ମିଶ୍ର

ଚୁଟକିରେ ଖବର -


ନାଁ ଟି ମୋନାଲିସା ମିଶ୍ର , ଜଣେ ଗୃହିଣୀ । କିନ୍ତୁ କଣ୍ଠ ତାଙ୍କରି କୌଣସି ପ୍ରତିଷ୍ଠିତ ଗାୟିକାଙ୍କଠାରୁ କମ୍ ନୁହେଁ । ନିକଟରେ "ଭଏସ୍ ଅଫ୍ ଆଲୋକ୍" ପ୍ରାୟୋଜିତ "ପ୍ରତିଭାର ଖୋଜ୍" କାର୍ଯ୍ୟକ୍ରମର ୧୦ମ ଏପିସୋଡ୍ ରେ ଯୋଗ ଦେଇଛନ୍ତି ଶ୍ରୀମତୀ ମିଶ୍ର । ମାଡାମ୍ ସୁଦୂର ସୁବର୍ଣ୍ଣପୁର ଅନ୍ତର୍ଗତ ତରଭା ବାସିନ୍ଦା ଅଟନ୍ତି । 



ସେ ପିଲାଟି ଦିନରୁ ସଙ୍ଗୀତ ମାହୋଲ୍ ରେ ବଢିଥିଲେ ଏବଂ ବିଦ୍ୟାଳୟ ଜୀବନରେ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟିନୀ ମଧ୍ୟ ହୋଇଥିଲେ । ତେବେ ଏବେ ମଧ୍ୟ ଘରେ ବିଭିନ୍ନ ପୂଜା ପାର୍ବଣ , ଓଷା ବ୍ରତ ମାନଙ୍କରେ ତାଙ୍କ ଗୀତ ଶୁଣି ତାଙ୍କ ପରିବାରର ସଦସ୍ୟମାନେ ଖୁବ୍ ଖୁସି ହୁଅନ୍ତି । ତାଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ଗୀତ ଗାଇବାକୁ ବହୁତ ଉତ୍ସାହିତ କରନ୍ତି । ଲାଇଭ କାର୍ଯ୍ୟକ୍ରମ ସମୟରେ ସହସ୍ରାଧିକ ଦର୍ଶକ ତାଙ୍କ ଗୀତ ଶୁଣି ନିଜ ନିଜ ମତାମତ ରଖିଥିଲେ । ଶ୍ରୀମତୀ ମିଶ୍ର କୁହନ୍ତି ଯେ, ପାରାୟଣ ଗୀତ ଏବଂ ରାମଲୀଳା ଗୀତ ଶୁଣି ଗାଇବା ତାଙ୍କ ଭାରି ପସନ୍ଦ । ତାଙ୍କ କଳାକାର ଜୀବନ ଆହୁରି ଆଗକୁ ଉଜ୍ଜଳମୟ ହେଉ ବୋଲି ଦର୍ଶକ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Thursday, 20 July 2023

"ପ୍ରତିଭାର ଖୋଜ୍"ରେ ପାରାୟଣ ଗାୟକ ଶ୍ରୀ ହରିହର ପାଢ଼ୀ

ଚୁଟକିରେ ଖବର :

"ଭଏସ୍ ଅଫ୍ ଆଲୋକ୍" ପ୍ରାୟୋଜିତ "ପ୍ରତିଭାର ଖୋଜ୍" କାର୍ଯ୍ୟକ୍ରମରେ ଗତ ସପ୍ତାହରେ ଯୋଗ ଦେଇଥିଲେ ପଶ୍ଚିମ ଓଡ଼ିଶାର ଖ୍ୟାତିନାମା ପାରାୟଣ ଗାୟକ ଶ୍ରୀ ହରିହର ପାଢ଼ୀ  ।



ସମ୍ପାଦକ ଶ୍ରୀ ଆଲୋକ କୁମାର ପଣ୍ଡାଙ୍କ ସହ ଶ୍ରୀ ପାଢ଼ୀ ଏହି କାର୍ଯ୍ୟକ୍ରମରେ ନିଜ ଜୀବନର ଅନେକ ଅଭୁଲା ସ୍ମୃତି ବାଣ୍ଟିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଅନ୍ତର୍ଗତ କର୍ଲାଜୁରି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ପାଢ଼ୀ । ନିଜ ବାପାଙ୍କ ଠୁଁ ଅନୁପ୍ରାଣିତ ହୋଇ ଏହି ପାରାୟଣ ଗାୟନ ଆରମ୍ଭ କରିଥିଲେ ବୋଲି ସେ ଦର୍ଶକମାନଙ୍କୁ ଜଣାଇଥିଲେ । ତାଙ୍କ ଧର୍ମପତ୍ନୀ ତାଙ୍କୁ ଆହୁରି ଆଗକୁ ଯିବା ପାଇଁ ପ୍ରେରଣା ଦିଅନ୍ତି ବୋଲି କହିଥିଲେ । ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ଭାବ ଦିଆ ନିଆ ଚାଲିଥିଲା ଏବଂ ଦର୍ଶକଙ୍କ ଲାଇଭ୍ କମେଣ୍ଟଗୁଡ଼ିକ ପଢି ଅବିଳମ୍ବେ ସେମାନଙ୍କ ଅନୁରୋଧର ପାରାୟଣ,ଭଜନ ସଙ୍ଗୀତ ଶ୍ରୀ ପାଢ଼ୀ ପରିବେଷଣ କରିଥିଲେ । ସହସ୍ରାଧିକ ଦର୍ଶକ ଏହାକୁ ମନ ଭରି ଉପଭୋଗ କରିଥିଲେ ।


Tuesday, 18 July 2023

"ଭଏସ୍ ଅଫ୍ ଆଲୋକ୍" ରେ ଯୁବ କଳାକାର ଡମ୍ବରୁଧର ସାହୁ

ଚୁଟକିରେ ଖବର -
ନିକଟରେ "ଭଏସ୍ ଅଫ୍ ଆଲୋକ୍" ପ୍ରାୟୋଜିତ "ପ୍ରତିଭାର ଖୋଜ୍" କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଯୁବ କଳାକାର ଡମ୍ବରୁଧର ସାହୁ।
ଶ୍ରୀ ସାହୁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅନ୍ତର୍ଗତ ସାଇଦଳଙ୍ଗା ଗ୍ରାମବାସୀ ଅଟନ୍ତି । 

ସେ ଲାଇଭ କାର୍ଯ୍ୟକ୍ରମ ସମୟରେ ନିଜ ଜୀବନର ବହୁତ ଅଭୁଲା ସ୍ମୃତି ଦର୍ଶକମାନଙ୍କ ସହ ବାଣ୍ଟିଥିଲେ । "ଭଏସ୍ ଅଫ୍ ଆଲୋକ୍" ର ସମ୍ପାଦକ ଶ୍ରୀ ଆଲୋକ କୁମାର ପଣ୍ଡାଙ୍କ ସହ ସେ ବହୁତ ସୁନ୍ଦର ଭାବରେ ଭାବର ଆଦାନ ପ୍ରଦାନ କରିଥିଲେ । ଶ୍ରୀ ସାହୁ ରାମଲୀଳାରେ ଶ୍ରୀ ରାମଙ୍କ ଭୂମିକା ନିର୍ବାହ କରି ତାଙ୍କୁ ପରମ ଆନନ୍ଦ ସହ ଆନ୍ତରିକ ଶାନ୍ତି ମିଳେ ବୋଲି କହିଥିଲେ ।
ଲାଇଭ ସମୟରେ ସହସ୍ରାଧିକ ଦର୍ଶକ ଯୋଡ଼ି ହୋଇ ତାଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ସାହୁ କୁହନ୍ତି ଯେ ସେ ଶ୍ରୀ ଅଂଶୁମାନ ଠାକୁରଙ୍କ ଭିଡିଓ ଦେଖି ଏବଂ ତାଙ୍କ ସାଙ୍ଗମାନଙ୍କ ଠାରୁ ଉତ୍ସାହ ପାଇ ଏହି କଳାକାର ଜୀବନ ଆରମ୍ଭ କରିଥିଲେ । ପ୍ରଭୁଙ୍କ ଆଶୀର୍ବାଦ ଥିଲେ ଆଜୀବନ ଶ୍ରୀ ରାମଙ୍କ ସେବାରେ ନିଜ ଜୀବନକୁ ସମର୍ପଣ କରିବେ ବୋଲି ଶ୍ରୀ ସାହୁ କହିଥିଲେ ।